ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର,
ହେ କରୁଣା ସିନ୍ଧୁ କାହିଁ ତା'ର ପଟାନ୍ତର ॥୧॥
ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁଷହାରୀ ହେ ମଙ୍ଗଳଦାତା
ତୋର ମଙ୍ଗଳ ସଙ୍ଗୀତ,
ନିଖିଳ ଭୁବନ ଗାଏ ହୋଇ ବିମୋହିତ ॥୨॥
ଦ୍ୟୁଲୋକେ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୋ, ଭୁଲୋକେ ସାଗର,
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର ॥୩॥
ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ
କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନିଧାନ
ପ୍ରଭୋ, ତୋ ପ୍ରେମ କିରଣ,
ଉଜ୍ଜ୍ୱଳଇ ବିଶ୍ୱବାସୀ ହୃଦ ନିକେତନ ॥୪॥
ଜନକ ଜନନୀ ସୁତ ସୁତା ଜାୟା ଧବ
ସହୋଦର ସହୋଦରା ଆତ୍ମୀୟ ବାନ୍ଧବ
ପ୍ରଭୋ, ଏ ସର୍ବ ସମ୍ବନ୍ଧ,
ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ ॥୫॥
ବିରାଜିତ ତୁହି ନାଥ ସକଳ ଜୀବନେ
ସମ୍ପଦେ ବିପଦେ ସଦା ଜୀବନେ ମରଣେ
ପୂର୍ଣ୍ଣ ମଙ୍ଗଳ ଆଳୟ,
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୬॥
ବିଶ୍ୱଗୁରୁ ବିଶ୍ୱରାଜ ବିଶ୍ୱ ପିତା ମାତା
ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା
ଦୀନବନ୍ଧୁ କୃପାସିନ୍ଧୁ,
ସୁର ନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୭॥
ସଙ୍କଟ ପୂରିତ ଘୋର ଭବ ସିନ୍ଧୁ ଜଳେ
ଏକ ମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ
ତୋର ମଙ୍ଗଳ ବିଧାନ,
କରିଅଛି ମରଣକୁ ଅମୃତ ସୋପାନ ॥୮॥
ହେ ଆନନ୍ଦମୟ କୋଟି ଭୁବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟ ଜ୍ଞାନ ॥୯॥
ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ ॥୧୦॥
ଭକ୍ତକବି ମଧୁସୂଦନ ରାଓ
Post a Comment