କୃଷ୍ଣକୁଞ୍ଚିତ ଚାମରକେଶା - କବିସୂର୍ଯ୍ୟ ବଳଦେବ ରଥ

(ରାଗ: ପୂରବୀ)

କୃଷ୍ଣ କୁଞ୍ଚିତ ଚାମର କେଶା, କ୍ରୀଡ଼ା ଚପଳ କୁରଙ୍ଗାଦୃଶା,
କନକ କଳିତ, କେତକୀ ଦଳିତ, ଗଉରାଙ୍ଗୀ ଏକା ମୋ ଭରସା,
ଆରେ କୁନ୍ଦହାସି, କଳା କଲ୍ଲୋଳିନୀ କେଳି-କଳହଂସା । ୧।

କିଶୋରୀ କୁଳ କିରୀଟମଣି, କୃଶୋଦରୀ କଳକଣ୍ଠ ବାଣୀ,
କୋମଳ ବୟସେ, କାହୁଁ ଶିଖିଲା ସେ, କେଳତିକି ଜିଣିବାର ଠାଣି,
ସେ ମୋ କୁତୁକିନୀ, କାମରଣ ସମୟେ ମୋ ଅନୀକିନୀ ।୨।

କଳ୍ପିଲେ କଳ୍ପାନ୍ତ ଯାଏ କବି, କୁହାଯିବ ନାହିଁ ତାହା ଛବି,
କେ ଅବା ବୋଲିବ, ବଢ଼ାଇ ତ୍ରିଦିବ, ବାମାକୁ, ବଳିବ ମୋ ବାନ୍ଧବୀ,
ସେ ମୋ କମଳାକ୍ଷୀ, କୋଟି କଳା କରକମନୀୟମୁଖୀ । ୩ ।

କୁସୁମ ବାସିନୀ ବାମା ପାଶେ, କରନ୍ତେ ସଞ୍ଚାର ମୁଁ ନିମିଷେ,
କଞ୍ଜ ବନଚାରୀ, ମିଳିନ୍ଦର ପରି, କଳେବର ଗୋଟିଯାକ ବାସେ,
ସେ ମୋ କାନ୍ତିସିନ୍ଧୁ, କୁଞ୍ଜନିଳୟଭୂଷା ମୋ ପ୍ରାଣବନ୍ଧୁ । ୪ ।

କାଳିନ୍ଦୀକୂଳ ସଙ୍କେତ ସ୍ଥାନେ, କିଶୋରଚନ୍ଦ୍ର ଶ୍ରୀମତୀ ଧ୍ଯାନେ,
କରନ୍ତେ ଶରଧା, ମିଳିଗଲେ ରାଧା ପ୍ରିୟ ସହଚରୀ ସେ ବିପିନେ,
ସେ ମୋ କରଭୋରୁ, କହେ ରସେ କବି ରବି ରାୟଗୁରୁ । ୫ ।

କବିସୂର୍ଯ୍ୟ ବଳଦେବ ରଥ

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ