ଗୁରୁ ସନ୍ଦିପନୀ - ପୁରାଣ କଥା

ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ମୁନି ସନ୍ଦିପନୀ ପିଲାଦିନେ ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ତାଙ୍କ ଗୁରୁଙ୍କର ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସନ୍ଦିପନୀ ଆଗପଛ କିଛି ବି ବିଚାର ନ କରି କାର୍ଯ୍ୟ କରିବାକୁ ଖୁବ୍ ଆଗ୍ରହର ସହିତ ଧାଇଁ ଯାଉଥିଲେ । ହେଲେ ତାଙ୍କର ଏପରି କାର୍ଯ୍ୟରେ ସହପାଠୀମାନେ ତାଙ୍କୁ ଖୁବ୍ ବିରୋଧ କରୁଥିଲେ । ମାତ୍ର ଗୁରୁ ସନ୍ଦିପନୀଙ୍କ କାର୍ଯ୍ୟରେ ଖୁବ୍ ଖୁସି ଥିଲେ ।

ଦିନକର କଥା । ସନ୍ଦିପନୀ ତାଙ୍କ ସାଙ୍ଗମାନଙ୍କ ସହ ମନ ଆନନ୍ଦରେ ଆଶ୍ରମକୁ ଫେରି ଆସୁଥିବାର ଦେଖି ଗୁରୁଦେବ ତାଙ୍କୁ ପାଖକୁ ଡାକି ଗୁପ୍ତରେ କହିଲେ, ବତ୍ସ ସନ୍ଦିପନୀ ! ତୁମେ ସେହି ପଡିଆରେ ଖେଳୁଥିବା ମୋର ପୁତ୍ରଟିକୁ ଆଣି ସେହି କୂଅ ଭିତରକୁ ଫିଙ୍ଗି ଦିଅ । ଗୁରୁଙ୍କ ଏଭଳି ଆଦେଶ ପାଇବା ମାତ୍ରକେ ସନ୍ଦିପନୀ ଆଉ କୌଣସି କଥାକୁ ଚିନ୍ତା ନକରି ସେହି ଖେଳୁଥିବା ପିଲାଟିକୁ ଉଠାଇ ଆଣି ତାକୁ କୂଅ ଭିତରକୁ ତୁରନ୍ତ ଫିଙ୍ଗି ଦେଲେ । ଏହା ଦେଖିବା ମାତ୍ରକେ ଅନ୍ୟ ଶିଷ୍ୟମାନେ ଧାଇଁ ଯାଇ ଗୁରୁ ପୁତ୍ରଙ୍କୁ କୂଅ ଭିତରୁ ଉଦ୍ଧାର କଲେ ଏବଂ ପରେ ପରେ ସବୁ ଶିଷ୍ୟମାନେ ମିଶି ସନ୍ଦିପନୀକୁ ନିସ୍ତୁକ ମାଡ ଦେଲେ । ହେଲେ ସନ୍ଦିପନୀ ମାଡ ଖାଇ ମଧ୍ୟ କୌଣସି ପ୍ରକାର ପାଟି ଫିଟାଇଲେ ନାହିଁ । ପୁଣି ସନ୍ଦିପନୀର ଏପରି ଅମାନୁଷିକ କାର୍ଯ୍ୟ ଦେଖି ମଧ୍ୟ ଗୁରୁଦେବ ନୀରବ ରହୁଥିବାର ଦେଖି ଶିଷ୍ୟମାନେ କେବଳ ଚିନ୍ତା କରିବାକୁ ଲାଗିଲେ ।

ଏମିତି କିଛିଦିନ ଅତିବାହିତ ହେବାପରେ ଆଶ୍ରମରେ ପୁଣି ଆଉ ଗୋଟିଏ ଘଟଣା ଘଟିବାର ଦେଖାଗଲା । ସେଦିନ ମଧ୍ୟ ଆଶ୍ରମର ଶିକ୍ଷାର୍ଥୀମାନେ ଯିଏ ଯାହାର କର୍ମ ଶେଷ କରି ଫେରି ଯାଉଥିବା ସମୟରେ ପୂର୍ବପରି ଗୁରୁଦେବ ସନ୍ଦିପନୀକୁ ଡାକି ସେମିତି ଗୁପ୍ତରେ କିଛି କହିଲେ । ସନ୍ଦିପନୀ ଗୁରୁଙ୍କ ପାଖରୁ ସେହି ଗୁପ୍ତ ନିର୍ଦେଶ ପାଇବା ପରେ ଯାଇ ଗୁରୁ ଆଶ୍ରମରେ ନିଆଁ ଲଗାଇ ଦେଲେ । ଆଶ୍ରମ ଘରଗୁଡିକ ନିଆଁ ଲାଗି ହୁ ହୁ ହୋଇ ଜଳି ଉଠୁଥିବାର ଦେଖି କାର୍ଯ୍ୟରତ ଶିଷ୍ୟମାନେ ଧାଇଁ ଆସି ନିଆଁ ଲିଭାଇ ପକାଇଲେ ଏବଂ ସନ୍ଦିପନୀଙ୍କୁ ମାଡ ଦେବା ସଙ୍ଗେ ସଙ୍ଗେ କହିଲେ କି ଗୁରୁ ଗୃହରେ ନିଆଁ ଲଗାଇ ସନ୍ଦିପନୀ ମହାପାପ ଅର୍ଜନ କରିଛି । ସେତେବେଳେ ସାଙ୍ଗ ସାଥିମାନେ ଯାହା କହିଲେ ବି ସନ୍ଦିପନୀ ସେଥିରେ ଆଦୌ ଗୁରୁତ୍ୱ ଦେଉ ନଥିଲେ । କାରଣ ସେ ଜାଣୁଥିଲେ ଯେ ସେ ଯାହା ବି କରିଛନ୍ତି ସବୁ ଠିକ୍ ଅଛି । କାରଣ ସେ ନିଜେ ତ କିଛି ବି କରି ନାହାଁନ୍ତି । ସବୁକିଛି ଗୁରୁଙ୍କ ଆଦେଶରେ ସେ ସମ୍ପନ୍ନ କରିଛନ୍ତି । ଆଉ ସେ ଆଶ୍ରମରେ ସନ୍ଦିପନୀଙ୍କ ଦ୍ୱାରା ଏପରି କାର୍ଯ୍ୟ ବାରମ୍ବାର ଘଟୁଥିବା ବେଳେ ଗୁରୁଦେବ ନୀରବ ରହୁଥିବା କାରଣରୁ ଶିଷ୍ୟମାନେ ବି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ।

ସମୟ ଆସିଲା ଯେତେବେଳେ କି ସନ୍ଦିପନୀଙ୍କର ବିଦ୍ୟାଶିକ୍ଷା ଶେଷ ହେଲା । ସେ ତାଙ୍କ ସାଥୀମାନଙ୍କ ସହ ପାରମ୍ପରିକ ରୀତିରେ ଆଶ୍ରମରୁ ବିଦାୟ ନେଇ ଗୃହାଭିମୁଖୀ ହେଲେ । ଏମିତି କିଛି କାଳ ଅତିବାହିତ ହେବା ପରେ ଦିନେ ସେ ନିଜ ଘରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ଜାଣିବାକୁ ପାଇଲେ କି ତାଙ୍କର ଗୁରୁଦେବ ଖୁବ୍ ଅସୁସ୍ଥ ଅଛନ୍ତି । ସେ ଆଉ ଅଧିକ କାଳ ବଞ୍ଚିବେ କି ନାହିଁ, ତାହା ଆଉ ମୋଟେ ବି କହି ହେବ ନାହିଁ । ଗୁରୁଦେବଙ୍କର ଅନ୍ତିମ କାଳ ବୋଲି ଜାଣି ତାଙ୍କର ଶିଷ୍ୟମାନେ ଯିଏ ଯେଉଁଠି ଥିଲେ, ସେମାନେ ଗୁରୁଦେବଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଁଚିଲେ । ଠିକ୍ ସେମିତି ସନ୍ଦିପନୀ ମଧ୍ୟ ଆସି ଗୁରୁଙ୍କ ପାଖରେ ପହଁଚିଲେ । ଶିଷ୍ୟମାନେ ତାଙ୍କ ଗୁରୁଙ୍କ ପାଖରୁ ଆଶୀର୍ବାଦ ସହ ତାଙ୍କ ବ୍ୟବହୃତ ପଦାର୍ଥମାନ ଗୋଟିଏ ଗୋଟିଏ ନେଇ ସେ ଆଶ୍ରମରୁ ବିଦାୟ ନେଲେ । କିନ୍ତୁ, ‘ସନ୍ଦିପନୀ ତ ସେମିତି ଗୁରୁଦେବଙ୍କ ରହିଥିବା କୋଠରୀର ଏକ କୋଣରେ ଦୁଃଖିତ ମନରେ ବସିଥାଆନ୍ତି ।’ ଗୁରୁଦେବ ତ ତାଙ୍କୁ ବହୁ ପୂର୍ବରୁ ଦେଖି ମଧ୍ୟ କିଛି ବି କହୁ ନଥିଲେ । ମାତ୍ର ସମସ୍ତେ ସେଠାରୁ ଚାଲିଯିବା ପରେ ଗୁରୁଦେବ ସନ୍ଦିପନୀଙ୍କୁ ପାଖକୁ ଡାକି କହିଲେ, ‘ପୁତ୍ର ! ମୁଁ ଆଉ ତୁମକୁ କ’ଣ ବା ଦେବି? ତଥାପି, ମୁଁ ଜାଣିଛି ତୁମେ ହିଁ ହେଉଛ ମୋର ଏକାନ୍ତ ଆଦରର ଶିଷ୍ୟ । ତୁମେ ମୋର ଆଜ୍ଞା ଏପରି ପାଳନ କରିଛ ଯେ, ସେପରି ଅନ୍ୟ କୌଣସି ଶିଷ୍ୟ କାର୍ଯ୍ୟ କରି ପାରି ନାହାଁନ୍ତି ।’ ତେଣୁ ମୁଁ ଆଶୀର୍ବାଦ କରୁଛି ତୁମେ ଜୀବନରେ ଅନନ୍ତ ସୁଖର ଅଧିକାରୀ ହେବ । ଆଉ ତା’ରି ମଧ୍ୟରେ ଯେତେବେଳେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରି ଏ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିବେ, ସେତେବେଳେ ତୁମେ ହିଁ ତାଙ୍କର ଗୁରୁ ହୋଇ ଯଥାର୍ଥ ଦକ୍ଷିଣା ପାଇବ । ଏ କଥା ତୁମେ ସଦାବେଳେ ମନେ ରଖିବ ।’ ଗୁରୁଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସେ ସନ୍ଦିପନୀ ତାଙ୍କ ଗୁରୁଦେବଙ୍କ ପାଦ ତଳେ ପଡି କେବଳ ଅଶ୍ରୁ ବୁହାଇବାକୁ ଲାଗିଲେ । ଗୁରୁଦେବ ସନ୍ଦିପନୀଙ୍କ ମୁଣ୍ଡରେ ହାତ ବୁଲାଇ ଦେଇ ସେଠାରୁ ବିଦାୟ ନେବାକୁ କହିଲେ । ଏତିକି ବେଳେ ଗୁରୁଦେବଙ୍କ ଓଠରେ ଚେନାଏ ହସ ଲାଖି ରହିଥିବା ବେଳେ ଶିଷ୍ୟ ସନ୍ଦିପନୀଙ୍କ ହୃଦୟରେ ପୂରି ରହିଥିଲା କେବଳ କୋହ ଆଉ କୋହ । କାରଣ ତାହା ହିଁ ଥିଲା ତାଙ୍କ ପାଇଁ ଦର୍ଶନ ଏବଂ ଅନ୍ତିମ ଆଶୀର୍ବାଦ । ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ବିଦାୟ ବେଳର ସୂଚନା ଏତିକି ବେଳେ ତଥା ସଂନ୍ଧ୍ୟାର ଇଙ୍ଗିତରେ ଦଳ ଦଳ ପକ୍ଷୀ ଉଡି ଯାଉଥିଲେ ନିଜସ୍ୱ ବସା ଆଡକୁ ।

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ