
ବର୍ଷାଋତୁ ପରେ ପୃଥିବୀ ବକ୍ଷରେ ଶୀତଋତୁ ପାଦ ଥାପିଲା । ଶୀତଦିନେ ସାଧାରଣତଃ ସମସ୍ତେ ଟିକେ ବିଳାସ ବ୍ୟସନରେ ରହିବାକୁ ଭଲ ପାଆନ୍ତି । ସବୁଦିନ ପରି ସେଦିନ ମଧ୍ୟ ରାଣୀ ଝରକା ଖୋଲି ବୃକ୍ଷ ଯୋଡିକ ଆଡକୁ ଚାହିଁ ରହି ଥାଆନ୍ତି । ସନ୍ଧ୍ୟା ହୋଇ ଆସୁଥାଏ । ଏହି ସମୟରେ ଯୋଡିଏ ବାନର ଦମ୍ପତ୍ତି କେଉଁଆଡୁ ଆସି ସେହି ବୃକ୍ଷର ଡାଳରେ ବସିଲେ । ଚାରିଆଡକୁ ଦୁଇଜଣ ଯାକ ଥରେ ଦୃଷ୍ଟି ଫେରାଇ ଆଣି ମନ ଖୁସିରେ ଆଳାପ କଲେ । କିଛି ସମୟ ପରେ ଦୁଇଜଣ ଯାକ ରତି କ୍ରୀଡାରେ ମାତିଗଲେ । ରାଣୀ ଅପଲକ ନୟନରେ ସେମାନଙ୍କ ଆଡକୁ ଚାହିଁ ରହି ଥାଆନ୍ତି । ଏ ସବୁ ଦେଖି ରାଣୀଙ୍କର ମଧ୍ୟ ରତିକ୍ରୀଡା ପାଇଁ ମନରେ ଆଗ୍ରହ ଜନ୍ମିଲା ।
କିଛି ସମୟପରେ ଦରବାର କାର୍ଯ୍ୟ ଶେଷ କରି ରାଜା କବି ଯଦୁମଣିଙ୍କୁ ସାଙ୍ଗରେ ଧରି ସହାସ୍ୟ ବଦନରେ ସେହି ଉଦ୍ୟାନ ମଧ୍ୟକୁ ପ୍ରବେଶ କଲେ । ରାଜାଙ୍କର କିନ୍ତୁ ବୃକ୍ଷ ଉପରେ କ୍ରିଡାରତ ବାନର ଦମ୍ପତ୍ତିଙ୍କ ପ୍ରତି ନଜର ନଥାଏ । ଯଦୁମଣିଙ୍କ ଆଖି କିନ୍ତୁ ଚାରିଆଡେ ବୁଲୁଥାଏ । ସେ ଝରକା ମଧ୍ୟ ଦେଇ ବୃକ୍ଷକୁ ଚାହିଁ ରହି ଥିବା ରାଣୀଙ୍କୁ ଦେଖି ରାଣୀଙ୍କର ମନକଥା ବୁଝି ପାରିଲେ । କିଛି ସମୟ ପରେ ରାଣୀ ଏକ ଫୁଲ ମାଳା ରାଜାଙ୍କ ଉପରକୁ ନିକ୍ଷେପ କଲେ । ମାଳାଟି ମଧ୍ୟ ସିଧା ସଳଖ ଯାଇ ରାଜାଙ୍କ ବେକରେ ପଡିଲା । ଏହା ଦେଖି ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ଯଦୁମଣିଙ୍କୁ ରାଣୀଙ୍କର ଉଦ୍ଧେଶ୍ୟ ସଂପର୍କରେ ରାଜା ପ୍ରଶ୍ନ ପଚାରିଲେ – “ମନ କି ପାଞ୍ଚିଲା.. ହସି ହସି ଫୁଲ ଗଳାରେ ପକାଇ ଦେଲା?"
ରାଜାଙ୍କର ପ୍ରଶ୍ନ ଶୁଣିବା ମାତ୍ରକେ ଯଦୁମଣି ସଙ୍ଗେ ସଙ୍ଗେ ଉତ୍ତର ଦେଲେ -
“ବଟବୃକ୍ଷ ପରେ ବାନରୀ ରତ
ଦେଖି ବାନ୍ଧବୀର ବଳିଲା ଚିତ୍ତ
ମନେ ସେ ଇଛିଲା
ହସି ଫୁଲମାଳା ପକାଇ ଦେଲା”
ଯଦୁମଣିଙ୍କ ଉତ୍ତର ଶୁଣିବା ପରେ ରାଜା ରାଣୀହଂସପୁରର ଝରକା ଆଡକୁ ଚାହାନ୍ତି’ତ ସତକୁ ସତ ଯଦୁମଣିଙ୍କ କଥାର ସତ୍ୟତା ଅନୁମାନ କରି ପାରିଲେ । ରାଜା କବି ଯଦୁମଣିଙ୍କର ପ୍ରଖର ବୁଦ୍ଧିକୁ ପ୍ରଶଂସା ନକରି ରହି ପାରିଲେ ନାହିଁ । କବି ଯଦୁମଣିଙ୍କୁ ହସ ହସ ମୁଖରେ ବିଦାୟ ଦେବା ପରେ ରାଜା ମଧ୍ୟ ନିଜ ରାଣୀଙ୍କୁ ନେଇ ଖୁସି ମନରେ ରାଣୀହଂସପୁର ଅଭିମୁଖେ ଚାଲିଗଲେ ।
Post a Comment