
ଯେଉଁ ନାମ ଧଇଲେ ନ ଦଣ୍ତେ କାଳଯମ ॥
ଶ୍ରୀହରି ନାମକୁ ଏକା ଜପୁଥିବୁ ମନ
ଅଶେଷ ଦୁରିତମାନ ହୋଇବ ଦହନ ॥
ଯୋଗୀଜନମାନଙ୍କର ପରମକାରଣ
ସନ୍ଥଜନମାନଙ୍କ ଦୁରିତ-ନିବାରଣ ॥
ଏଥୁ ଅନନ୍ତରେ ସର୍ବେ ଶୁଣ ରସସାର
ମାଘ କୃଷ୍ଣପକ୍ଷ ଯେ ପଞ୍ଚମୀ ଗୁରୁବାର ॥
ଶୁକ ଏ ଦିନରେ ପରୀକ୍ଷିତଙ୍କ ଭବନେ
ଆଚମ୍ବିତେ ମିଳିଲେ ତାହାଙ୍କ ସନ୍ନିଧାନେ ॥
ଦଣ୍ତକମଣ୍ତଳୁ ହସ୍ତେ ଡୋର କଉପୀନ
ରୁଦ୍ରାକ୍ଷର ଜପ-ମାଳା ଭସ୍ମ ବିଲେପନ ॥
ହରିମନ୍ଦିରର ଚିତା ନାସା-ଅର୍ଦ୍ଧଯାଏ
ତମ୍ବାର କୁଣ୍ତଳ ବେନିକର୍ଣ୍ଣେ ଶୋଭାପାଏ ॥
ତପତକାଞ୍ଚନ ଜିଣି ତନୁ ଅନୁପମ
କୋଟିଭାନୁ ଜିଣି ଯେ ଅନଳ ନୋହେ ସମ ॥
ଦୂରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ
ଆସନୁ ଉଠିଣ କଲେ ପାଛୋଟି ଗମନ ॥
ପଦ ପଚିଶ ପଚାଶ ଯାଏ ସେହୁ ଗଲେ
ମୁନିଙ୍କି ନିମନ୍ତି ରାଜା ମନ୍ଦିରେ ମିଳିଲେ ॥
ଧୂପ ଦୀପ ନଇବିଦ୍ୟ ବସନ ଚାମର
ନାନା ଯତ୍ନେ ପୂଜାକଲେ ମୁନିଙ୍କ ପୟର ॥
ଦିବ୍ୟ ଆସନେ ମୁନିଙ୍କି ବସାଇଲେ ନେଇ
ବିନୟ ହୋଇଣ ରାଜା ବଚନ କହଇ ॥
ଭୋ ମୁନିପୁଙ୍ଗବ ତୁମ୍ଭେ ସର୍ବତାପହର
ପବିତ୍ର କର ହେ ମୁନି ମୋର କଳେବର ॥
କହ ବିଷ୍ଣୁ ପୁରାଣର ସେ ପବିତ୍ର କଥା
ତବ ମୁଖୁ ଶୁଣିଲେ ଖଣ୍ଡିବ ଭବବ୍ୟଥା ॥
କେମନ୍ତ ପ୍ରକାରେ ଯେ ହରିଣୀର ବପତ୍ତି
କାହିଁ ଥାଇ ତାହା ଯେ ଜାଣିଲେ ଶିରୀପତି ॥
ସେ କଥା ବିସ୍ତାରି ମୋତେ କହିବା ଗୋସାଇଁ
ତବ ମୁଖୁଁ ଶୁଣିଲେ ଯେ ପ୍ରତେ ଯିବି ମୁହିଁ ॥
ପରୀକ୍ଷିତ-ବଚନେ ଆନନ୍ଦ ଶୁକମୁନି
ବୋଇଲେ ହୋ ଧନ୍ୟ ରାଜା ଅଟୁ ବ୍ରହ୍ମଜ୍ଞାନୀ ॥
ଯାହା ପଚାରିଲୁ ଭାଗବତର ଚରିତ
ସାବଧାନ ହେଇ ତୁମ୍ଭେ ଶୁଣ ନପସୁତ ॥
ସୁବାହୁ ବୋଲିଣ ଯେ ଏକଇ ଘୋରବନ
ହରପାର୍ବତୀଙ୍କର ସେ ଅଟେ କ୍ରୀଡ଼ାସ୍ଥାନ ॥
ତାରାବତୀ ହରିଣୀ ଚରଇ ତହିଁ ନିତି
ମହାଦେବ-ପ୍ରସାଦେ ନ ଥାଇଁ ଭୟ ଭ୍ରାନ୍ତି ॥
ଗର୍ଭବାସ ହେତୁ ତାର ଅଳସ ଗମନ
ସଙ୍ଗତେ ଅଛନ୍ତି ବେନି ବାଳୁତନନ୍ଦନ ॥
ଦଇବ ବିପାକ କଥା କେ କରିବ ଆନ
ଯାହା ସେ କପାଳେ ଧାତା କରିଛି ଲିଖନ ॥
ବିଧି ଅନୁସାରେ ହୁଏ କର୍ମର ଉଦିତ
କର୍ମ ଅନୁସାରେ ଜୀବ ହୁଏ ଆତଯାତ ॥
ଶୁଭକୁ ଅଶୁଭ ଯେ ଫଳଇ ଦୁଃଖରାଶି
ତାହା ନ ଜାଣିଲେ ଜୀବ ନୁହଇ ବଶ୍ୱାସୀ ॥
ଫଳଦାତାର କରତା ଅଟନ୍ତି ଈଶ୍ୱର
ମାୟାନର ଆତଯାତ କରଇ ସଂସାର ॥
ଏକଦିନେ ହରିଣୀ ବନସ୍ତେ ଚରୁଥିଲା
ବିରୂପାକ୍ଷ ଶବର ଯେ ସେ ସ୍ଥାନେ ମିଳିଲା ॥
ଦେଖିଲା ହରିଣୀ ସଙ୍ଗେ ଛନ୍ତି ପିଲା ବେନି
ବିଧାତା ସୁମରି ଯେ ମାଇଲା ମୂରଧ୍ୱନି ॥
ତିନିଦିନ ଉପାସକୁ ମିଳିଲା ଆହାର
ଏହକ୍ଷଣି ମାରିଣ ମୁଁ ତୋଷିବି ଉଦର ॥
ବନ୍ଧୁଭାଇ ସୋଦର କୁଟୁମ୍ବ ସଙ୍ଖୋଳିବି
ଉଦରୁ ସଞ୍ଚିଣ ପୁତ୍ର ନୀତିଙ୍କି ଲୋଡ଼ିବି ॥
ଏମନ୍ତ ବୋଲି ଶବର ମନରେ ହରଷ
ବିଧାତା ସୁମରି ଓଗାଳଇ ଦଶଦିଶ ॥
ଚଉପାଶେ ଜାଲବାଡ଼ ପାତିଲା ହରଷେ
ପଛରେ ଦୋହରା ଅଗ୍ନି ଲଗାଇଲା ରୋଷେ ॥
ନିଜେ ଧନୁ ଧରିଣ ଯେ ଦ୍ୱାର ନିରୋଧିଲା
ଧରି ମାର ବୋଲିଣ ଶ୍ୱାନକୁ ପେଶି ଦେଲା ॥
ନିଶ୍ଚିନ୍ତ ହୋଇଣ ଯେ ହରିଣୀ ଚରୁଥିଲା
ମନୁଷ୍ୟର ରାବ ଶୁଣି ବଦନ ଟେକିଲା ॥
ଆଗ ପାଖରେ ଯେ ବ୍ୟାଧ ଦୁଇପାଶେ ଜାଲ
ପଛକତିରେ ଅନଳ ଜଳେ ପରଖର ॥
ରେ ରେକାର ଶବଦ ଶୁଭଇ ଗୁରୁଟାଣ
ଆଗକୁ ଚାହିଁଲା ବ୍ୟାଧ କରେ ଧନୁର୍ବାଣ ॥
ଲହଲହ ଜିହ୍ୱା ଶ୍ୱାନ ଆସୁଅଛୁ ଧାଇଁ
ମାର ଧର ବୋଲିଣ ସେ ଡାକଇ ତୁହାଇ ॥
ଏହା ଦେଖି ତରସ୍ତ ଯେ ହେଇଲା ହରିଣୀ
ମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲା ଧରଣୀ ॥
ସଚେତ ହୋଇଣ ପୁଣ ମନେ ବିଚାରଇ
କେମନ୍ତ ପ୍ରକାରେ ଏଥୁଁ ପଳାଇବି ମୁହିଁ ॥
ଆଗକୁ ଗଲେ ଶବର ବିନ୍ଧିବ ଯେ ଶର
ପଛକୁ ଗଲେଣ ପୋଡି ମତିବି ଅଗ୍ନିର ॥
ଆଗ ଦିଗେ ଗଲେ ଯେ ପଡିବି ଜାଲେ ଯାଇ
ଏଥି ରହିଥିଲେ ଶ୍ୱାନ ଧରିବ ମୋ ଦେହୀ ॥
ଆବର ମରିବେ ମୋର ଗର୍ଭର ତନୟେ
ମହାଘୋର ସଙ୍କଟେ ଯେ ପଡିଲା ଜୀବନ
ଉଦ୍ଧାରିଣ ରଖ ମୋତେ ପ୍ରଭୁ ଭଗବାନ ॥
ମଧୁଦୈତ୍ୟ ନାଶି ନାମ ଶ୍ରୀମଧୁସୂଦନ
ଦୁଃଖୀଲୋକବାନ୍ଧବ ଦରଦ୍ର-ଲୋକ-ଧନ ॥
ପଥ ନ ଦିଶଇ ମୁଁ କରିବି କିସ ବୁଦ୍ଧି
ଆତଙ୍ଗେ ଡ଼ାକୁଛି ମୋତେ ରଖ ଦୟାନିଧି ॥
ରଖ ରଖ ଜଗନ୍ନାଥ ଦୁଃଖିର ସଙ୍ଗାତ
ତୁମ୍ଭେ ନ ରଖିଲେ ଆଜ ହୋଇଲି ଅନାଥ ॥
ଏମନ୍ତେ ପ୍ରଭୁଙ୍କ ପାଦେ ଲଗାଇଲା ଲୟ
ଜୟ ଜୟ ଦୀନବନ୍ଧୁ ଜୟ ବଶ୍ୱକାୟ ॥
ଜୟ ଜୟ କୃପାନିଧି ଜଗତତାରଣ
ମହାଭାରା ନିବାରଣ ପ୍ରଭୁ ନାରାୟଣ ॥
ଜୟ ଜୟ ବିପଦଭଞ୍ଜନ ଦାଶରଥି
ସାତକାଳରୁ ରଖିଲ ଭରତିଆ ପକ୍ଷୀ ॥
ସାବତଜନନୀ ଛଳେ ଧ୍ରୁବ ଚିନ୍ତାକଲା
ଚଉଦଭୁବନ ଲୋକେ ଯାଇଣ ବସିଲା ॥
ଜୟ ଜୟ ବିଶ୍ୱପତି ଜଗତ କରତା
କଂସ ମାରି ତୁମ୍ଭେ ଯେ ରଖିଲ ମାତା ପିତା ॥
ରାବଣକୁ ମାରି ତୁମ୍ଭେ ଜାନକୀ ଆଣିଲ
ଲଙ୍କାଗଡ଼େ ରାଜା ବିଭୀଷଣକୁ ଯେ କଲ ॥
ମନ୍ଦୋଦରୀ ରାଣୀଙ୍କି ଯେ କଲ ମହାସତୀ
ବିଭୀଷଣ ରାଜାର ସେ ହେଲା ପ୍ରିୟବତୀ ॥
ଅମର କରି ରଖିଲା ତାକୁ ଯୁଗଯୁଗ
ଶରଣପଞ୍ଜର ତୁମ୍ଭେ ଅଟ ପଦ୍ମନାଭ ॥
ଗୋପୀ ଗୋପାଳ ରଖିଲ କରେ ଗିରି ଧରି
ବେଦ ଉଦ୍ଧାରି ରଖିଲ ଶଙ୍ଖାସୁର ମାରି ॥
ଅଜାମିଳ ଡାକିଲା ଯେ ରଖ ନାରାୟଣ
ତେଡ଼େବଡ଼ ପାପୀକି ବୈକୁଣ୍ଠେ ଦେଲ ସ୍ଥାନ ॥
ଜୟ ଜୟ ଜଗନ୍ନାଥ ପ୍ରହ୍ଲାଦ ରଖିଲ
ନୃସିଂହ ରୂପେଣ ହିରଣ୍ୟକୁ ବିଦାରିଲ ॥
ଜୟ ଜୟ ଜଗନ୍ନାଥ ବଳିକି ଚାପିଲ
ପାତାଳପୁରରେ ନେଇ ଗୋପ୍ୟ କରାଇଲ ॥
ଶ୍ରୀଚରଣ ଲଦିଲ ଯେ ଅହଲ୍ୟାର ଶିର
ପାଷାଣ-ଦେହରୁ ସ୍ତିରୀ ହୋଇଲା ବାହାର ॥
ଗଜ ଡାକିଲା ତାକୁ ରଖିଲ ନାରାୟଣ
ଚକ୍ରପେଷି ଗ୍ରାହକୁ କରିଲ ନିବାରଣ ॥
ତୁମ୍ଭ ଚରଣରେ ମୃଗୀ ଲଗାଇଛି ଲୟ
ଗର୍ଭର ଭାରାରେ ମୋତେ କରିବ ସଦୟ ॥
ପ୍ରଭୁ ଜଗତ-ତାରଣ ନ କର ହେ ଆନ
ତୁମ୍ଭ ଶ୍ରୀଚରଣତଳେ ଲଗାଇଛି ଧ୍ୟାନ ॥
ଜୀବନକୁ ଆଶା ଆଜ ନାହିଁ ଯେ ମୋହର
ଏ ବେନି ବାଳୁତ ତୁମ୍ଭେ ରଖ ଚକ୍ରଧର ॥
ଅରକ୍ଷିତ-ବନ୍ଧୁ ତୁମ୍ଭେ ଦୁଃଖୀଲୋକ-ବିତ୍ତ
ବ୍ୟାଧର ସଙ୍କଟୁ ମୋତେ ରଖ ଜଗନ୍ନାଥ ॥
ଏମନ୍ତେ ଅନେକ ସ୍ତୁତି କଲା ଯେ ହରିଣୀ
ବୈକୁଣ୍ଠେ ଥାଇଣ ତା ଜାଣିଲେ ଚକ୍ରପାଣି ॥
ଲକ୍ଷ୍ମୀଙ୍କର କୋଳେ ଯେ ଦେଇଣ ସୀମସ୍ଥାନ
ଆନନ୍ଦେ ଯୋଗନିଦ୍ରାରେ ଥିଲେ ଭଗବାନ ॥
ସରସ୍ୱତୀ ବୀଣା ଧରି ବଜାଉ ଅଛନ୍ତି
ଗାନ୍ଧାର ରାଗେଣ ଗାଇ ଆଳାପ କରନ୍ତି ॥
କମଳା ବିମଳା ରହି ଆଲଟ ବିଞ୍ଚନ୍ତି
ସତ୍ୟଭାମା କାଳିନ୍ଦୀ ଆବର ଜାମ୍ବବତୀ ॥
ରୁକ୍ମିଣୀ ସହିତେ ଯେତେ ଅଷ୍ଟପାଟ ଦେଈ
ଯେ ଯାହା ସେବାରେ ଚହିଁ ଚରଣେ ସେବଇ ॥
ସୁବାହୁ ବନ ବୈକୁଣ୍ଠ ସହସ୍ର ଯୋଜନ
ଏତେଦୂରୁ ଡାକ ତା ଶୁଭଇ ଘନ ଘନ ॥
ନିକଟେ ଡାକିଲାପ୍ରାୟେ ଶୁଭେ ଅନୁପମ
ସହସ୍ରେକ ବଜ୍ର କି ପଡ଼ିଲା ଏକ ସ୍ଥାନ ॥
ଥର ହର ହୋଇଣ ଯେ ବୈକୁଣ୍ଠ କମ୍ପିଲା
ଅତି ଆରତରେ ଯହୁଁ ମୃଗୁଣୀ ଡାକିଲା ॥
ମୃଗୁଣୀର ଆରତ ଯେ ଫେଡ଼ିବେ ଗୋସାଇଁ
ଭକତବତ୍ସଳ ଯେ କମଳାଦେବୀ-ସାଇଁ ॥
ବାସବକୁ ରାଇ ଆଜ୍ଞା ଦେଲେ ଦାଶରଥି
ଘୋରବନେ ହରିଣୀକି ପଡ଼ିଛି ବିପତ୍ତି ॥
ଘୋର ଜଳ ବରଷ ଅନଳ ଲିଭିଯାଉ
ବଜ୍ର ମାର ଶ୍ୱାନକୁ ବ୍ୟାଧକୁ ସର୍ପଖାଉ ॥
ବାତାଘାତେ ଜାଲବାଡ଼ ହେଉ ନାରଖାର
ବାସବରାୟେ ହୋ ତୁମ୍ଭେ ବେଗ ହୋଇ ଚଳ ॥
ଆଜ୍ଞା ପାଇ ଇନ୍ଦ୍ର ଯେ ବହନ ଚଳିଗଲେ
ଚାରିମେଘକୁ ତକ୍ଷଣେ ଆଜ୍ଞା ସେହୁ ଦେଲେ ॥
ପବନକୁ ବୋଇଲେ ତୁ ସଙ୍ଗେ ସଙ୍ଗେ ଥିବୁ
ଜଳବୃଷ୍ଟି ସହିତରେ ବତାସ ବହିବୁ ॥
ଶ୍ୱାନକୁ ବଜ୍ର ଯେ ଆମ୍ଭେ ମାରିବୁଁ ମରିବ
କିଞ୍ଚିତେ ଶବରକୁ ଯେ ଉରଗ ଗିଳିବ ॥
ଏମନ୍ତ ଯେ ହରିଣୀର କଷ୍ଟ ହେବ ପାର
ସ୍ୱାମୀର କାର୍ଯ୍ୟ ଘେନିଣ ଚଳ ତତପର ॥
ଆଜ୍ଞା ପରମାଣେ ତହୁଁ ଚାରିମେଘ ଗଲେ
ସୁବାହୁ ବନରେ ଯାଇଁ ପ୍ରବେଶ ହୋଇଲେ ॥
ଘଡ଼ଘଡ଼ି ମାରେ ଯେ ବଜୁଳୀ ଘନଘନ
ତାହା ଦେଖି ମୟୁର ମଣ୍ତୁକ କରେ ସ୍ୱନ ॥
ଦଶଦିଶ ଅନ୍ଧାରରେ କିଛିତ ନ ଦିଶି
ସୃଷ୍ଟି ପ୍ରଳୟ ପ୍ରବେଶ ହୋଇଲା କି ଆସି ॥
ଅଣଞ୍ଚାଶ ମୂର୍ତ୍ତି ଧରି ବହିଲା ପବନ
ଲିଭିଲା ଅନଳ ଯେ ଛିଡିଲା ଜାଲମାନ ॥
ଶ୍ୱାନକୁ ବଜ୍ର ଶବରେ ଉରଗ ଗିଳିଲା
ଏମନ୍ତ ଯେ ହରିଣୀର କଷ୍ଟ ଦୂର ହେଲା ॥
ଏହା ଦେଖି ହରିଣୀ ହରଷଚିତ୍ତ ହୋଇ
ସାଧୁ ସାଧୁ ବିଧାତା ଯେ ବୋଲିଣ ବୋଲଇ ॥
ନାରାୟଣ ସୁମରି ଚାଲଇ ଧୀର ଧୀର
ନବରଙ୍ଗେ ଚାଲୁଛନ୍ତି ବାଳୁତ କୁମର ॥
ପ୍ରବେଶ ହୋଇଲା ଯାଇଁ ଆପଣା ମନ୍ଦିର
ଶୁଣ ପରୀକ୍ଷିତରାଜା ଉତ୍ତରାକୁମର ॥
ଏମନ୍ତ ପ୍ରକାରେ ଅଟେ ହରିଣୀ ବିପତ୍ତି
ଶୁଣିଲେ ଖଣ୍ଡନ ହେବ ଅଶେଷ-ଦୁର୍ଗତି ॥
ଦୁଃସହ ବପତ୍ତି ତାର ନ ଲାଗଇ ଦେହେଁ
ଅପୁତ୍ରିକ ଶୁଣିଲେ ଯେ ପୁତ୍ର ଜାତହୁଏ ॥
ଦରିଦ୍ରରେ ଧନ ଯେ ଅମୋକ୍ଷେ ମୋକ୍ଷଦାତା
ଚିନ୍ତାର୍ଥିମାନେ ପଢ଼ିଲେ ଯିବ ମନୁ ଚିନ୍ତା ॥
ସନ୍ଧ୍ୟାକାଳେ ପ୍ରାତଃକାଳେ ସ୍ମରନ୍ତି ଯେ ଜନ
ମହାଘୋର ସଙ୍କଟୁ ରଖନ୍ତି ଭଗବାନ ॥
ମୃଗୁଣୀର ସ୍ତୁତି ଏ ଅମୃତମୟ ରସ
ସମ୍ପୂର୍ଣ୍ଣ କରି ଶୁଣିଲେ ବୈକୁଣ୍ଠରେ ବାସ ॥
ବଳରାମ ଦାସ ଗୀତା-ଅନ୍ତରେ ଲିହିଲେ
ଧନ୍ୟ ଧନ୍ୟ ମୃଗୁଣୀ ଯେ ବୋଲିଣ ବୋଇଲେ ॥
ଜୟ ଜୟ ଜଗନ୍ନାଥ କମଳ ବିଳାସ
ଶ୍ରୀପାଦପଦ୍ମେ ଶରଣ ବଳରାମ ଦାସ ॥
ପଞ୍ଚସଖା କବି ବଳରାମ ଦାସ
Post a Comment