ନମସ୍ତେ ପ୍ରଭୁ ଜଗନ୍ନାଥ ।
ଅନାଥ ଲୋକଙ୍କର ନାଥ ।।
ନମସ୍ତେ ପ୍ରଭୁ ବାସୁଦେବ ।
ଭକତ ଜନଙ୍କ ବାନ୍ଧବ ।।
ନମସ୍ତେ ପ୍ରଭୁ ହୃଷୀକେଶ ।
ଭକତ ଜନଙ୍କ ବିଶ୍ୱାସ ।।
ନମସ୍ତେ ପ୍ରଭୁ ବିଶ୍ୱରୂପୀ ।
ସକଳ ହୃଦେ ଅଛ ବ୍ୟାପି ।।
ତୁ ସୃଷ୍ଟି ସ୍ଥତି ଲୟ କରୁ ।
ଆବର ଗର୍ଭରେ ସଂହରୁ ।।
ଅଶେଷ କୋଟି ବସୁନ୍ଧରୀ ।
ତୋହର ଗର୍ଭେ ଛନ୍ତି ପୁରି ।।
ଚଉଦ ଭୁବନେ ଯା କିଣା ।
ଏ ସର୍ବ ତୋହର ରଚନା ।।
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ।
ତୋ ବିନୁ ଅନ୍ୟ ଗତି ନାହିଁ ।।
ସୃଷ୍ଟି ତୋହର ଖେଳଘର ।
ଅଶେଷ ମାୟା ତୋ ଆବର ।।
ତୋହର ନିଶ୍ୱାସ ମରୁତ ।
ଦେବେ ହୋଇଲେ ତହୁଁ ଜାତ ।।
ତୁହିଟି ଅଗ୍ନି ଦେବ ଇନ୍ଦ୍ର ।
ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ।।
ଭୁଜରୁ ଅନନ୍ତ ମୂରତି ।
କଣ୍ଠରୁ ଜାତ ସରସ୍ୱତୀ ।।
ସଦା ଚଞ୍ଚଳ ନିଦ୍ରା ନାହିଁ ।
ଏ ରୂପେ ଶୂନ୍ୟେ ଅଛୁ ରହି ।।
ଅଶେଷ ତୋହର ମହିମା ।
କେ ଜାଣିପାରେ ଗୁଣସୀମା ।।
ତୋ ନାମ କରୁଥିଲେ ଲୟ ।
କୋଟିଏ ଜନ୍ମ ପାପ କ୍ଷୟ ।।
ନାମ ଘୋଷିଲେ ସର୍ବସିଦ୍ଧି ।
ଖଣ୍ଡଇ ରୋଗ ଶୋକ ଆଦି ।।
ଆରତ ଭଞ୍ଜନ ତୋ ବାନା ।
ଆତଙ୍ଗ କାଳେ ବଜ୍ର ସେହ୍ନା ।।
ହୋଇଲୁ ଦଶ ଅବତାର ।
ନାଶିଲୁ ଅବନୀର ଭାର ।
ଦୁଷ୍ଟ ନିବାରି ସନ୍ଥ ପାଳୁ ।
ତୁ ନାଥ ପରମ ଦୟାଳୁ ।।
ତୁ ଅଟୁ ଦରିଦ୍ରର ଧନ ।
ତୋ ପାଦେ ରହୁ ମୋର ମନ ।।
ସତୀ ଯୁବତୀଙ୍କର ମନେ ।
ନିଜର ସ୍ୱାମୀ ଥାନ୍ତି ଯେହ୍ନେ ।।
ସେହି ପ୍ରକାରେ ମୋର ମନ ।
ତୋ ପାଦେ ରହୁ ଭଗବାନ ।।
କହଇ ଦାସ ଜଗନ୍ନାଥ ।
କମଳ ଚରଣକୁ ଆଶ ।।
ଅତିବଡି ଜଗନ୍ନାଥ ଦାସ
Post a Comment